ଶ୍ରୀକ୍ଷେତ୍ରରେ ବିଜୟା ଦଶମୀରେ ହୁଏ ନିଆରା ପୂଜା, ସ୍ଵୟଂ ଜଗନ୍ନାଥ ହୁଅନ୍ତି ସୁନାବେଶ

STATE

ବିଜୟା ଦଶମୀରେ ଗ୍ରାମରୁ ସହର ସବୁଆଡେ ମା ଦୂର୍ଗାଙ୍କର ପୂଜା ଆରାଧନା । ଦୂର୍ଗା ପୂଜାର ଅର୍ଥ  ଦୁଷ୍ଟ ଉପରେ ଶାନ୍ତିର ବିଜୟ । ପୂଜା ମଣ୍ଡପମାନଙ୍କରେ ତେଣୁ ପ୍ରବଳ ଭିଡ । ତେବେ ବିଜୟା ଦଶମୀ ପର୍ବ କେବଳ ପୂଜାମଣ୍ଡପରେ ସୀମିତ ନୁହେଁ । ଘରେ ଘରେ ଏହି ପୂଜା ମଧ୍ୟ ବହୁ ଆଡମ୍ବରରେ ପାଳନ କରାଯିବା ସହ ପ୍ରସ୍ତୁତି କରାଯାଏ ବିଭିନ୍ନ ପିଠାପଣାର ସଂଭାର । ଶ୍ରୀମନ୍ଦିର ମଧ୍ୟରେ ପୂଜା ପାଉଥିବା ମା ବିମଳାଙ୍କର ପ୍ରତିନିଧି ରୂପେ ପେଜନଳା କୋଣରେ ପୂଜା ପାଆନ୍ତି ମା କାକୁଡି ଖାଇ । ଅନ୍ୟ ଦୂର୍ଗା ମୂର୍ତ୍ତି ଏକାଦଶୀ ଦିନ ବିସର୍ଜନ କରାଯାଉଥିବାବେଳେ ମା କାକୁଡିଖାଇଙ୍କର ଦଶହରା ଦିନ ବିସର୍ଜନ ହୁଏ ।

loading...

ହେଲେ ଜାଣନ୍ତି କି ଶ୍ରୀମନ୍ଦିରରେ ବିଜୟା ଦଶମୀ ଉପଲକ୍ଷେ ସ୍ଵତନ୍ତ୍ର ନୀତି ଅନୁଷ୍ଠିତ ହୁଏ ବୋଲି  । ବିଜୟା ଦଶମୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମ ଓ କୃଷ୍ଣ ବୀରବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି । ଏହିଦିନ ରତ୍ନସିଂହାସନରେ ଠାକୁରମାନଙ୍କ ସୁନାବେଶ ଅନୁଷ୍ଠିତ ହୁଏ। ଏ ସଂକ୍ରାନ୍ତରେ ଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ସପ୍ତମୀ, ଅଷ୍ଟମୀ ଓ ନବମୀରେ ବଳଭଦ୍ରଙ୍କ ହଳ ମୂଷଳ, ଦେବୀ ସୁଭଦ୍ରାଙ୍କ ତଡ଼ଗୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶଙ୍ଖ, ଚକ୍ର ପୂଜାରେ ବସିଥାଏ। ମହିଷାସୁରକୁ ବଧ କରିବା ପାଇଁ ତିନିଠାକୁର ତାଙ୍କ ଆୟୁଧ ଦେବୀଙ୍କୁ ଅର୍ପଣ କରିଥାନ୍ତି ବୋଲି ଏହା ପ୍ରତିପାଦିତ କରିଥାଏ। ପୁନଶ୍ଚ ଦଶହରାରେ ଦେବୀଙ୍କଠାରୁ ଏହି ଆୟୁଧ ଅଣାଯାଇ ଠାକୁରଙ୍କୁ ପରିଧାନ କରାଯାଏ। ବିଜୟା ଦଶମୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ବୀରବେଶ ଧାରଣ କରି ଦଶହରା ପଦା (ଜଗନ୍ନାଥ ବଲ୍ଲଭ ମଠ ସମ୍ମୁଖ)କୁ ବିଜେ କରିଥାନ୍ତି।

ବିଜୟା ଦଶମୀରେ ଠାକୁରଙ୍କ ରାଜବେଶ ବା ସୁନାବେଶ ଅନୁଷ୍ଠିତ ହୁଏ। ବେଶ ବଢି ସକାଳ ଧୂପ ପରେ ଆୟୁଧମାନଙ୍କ ମହାସ୍ନାନ ବଢି ବରୁଣ ପୂଜା ଶେଷ ହୁଏ। ତିନିଗୋଟି ରୁପା ଥାଳିରେ ଆୟୁଧମାନ ରଖାଯାଇ ଘଣ୍ଟ, ଛତା, କାହାଳୀ ସହ ତିନିଥର ମନ୍ଦିର ପରିକ୍ରମା କରାଇ ସିଂହାସନକୁ ବିଜେ କଲା ପରେ ତିନିବାଡ଼ରେ ଆୟୁଧ ଲାଗି ହୁଏ। ଦଶହରା ପଦାକୁ ଯିବା ପାଇଁ ଚଳନ୍ତି ପ୍ରତିମା ମଦନମୋହନ, ରାମ ଓ କୃଷ୍ଣ ବୀର ବେଶରେ ସଜ୍ଜିତ ହୋଇଥାନ୍ତି। ଠାକୁରମାନେ ବୀରତ୍ୱର ପ୍ରତୀକ ସ୍ବରୂପ ବୀରବେଶ ଧାରଣ କରି ଦଶହରା ପଦାକୁ ଦୁର୍ଗାମାଧବଙ୍କ ସହିତ ଯାଇଥାନ୍ତି। ସେଠାରୁ ଫେରିବା ପରେ ଦୂର୍ଗାମାଧବ ଉପାସନାର ଅନ୍ତ ଘଟିଥାଏ ।

 

Please follow and like us:
error
loading...