ଜିଅନ୍ତା ଜଳିଯାଇଥିବା ଯୁବକର ମୃତ୍ୟୁ ରହସ୍ୟ ଭେଦ କରିବାକୁ ପୋଲିସର ତନାଘନା

STATE

ଗତ ଶନିବାର ରାତ୍ରି ପ୍ରାୟ ୧୨ଟା ସମୟରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଧୀନ ଅଢଙ୍ଗା ପଞ୍ଚାୟତର ଦେବଗରମରେ ଅବସ୍ଥିତ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ବିଲ୍ଦିଙ୍ଗ ଭିତରୁ ଉଚ୍ଚ ସ୍ଵରରେ କରୁଣ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡି ଯାଇଥିଲେ କାରଣ କଣ ଜାଣିବାକୁ । ସେଠାରେ ଯେଉଁ ହୃଦୟ ବିଦାରକ ଦୃଶ୍ୟ ଦେଖିଲେ, ତାହା ଥିଲା ହୋସ ଉଡାଇଦେବା ଭଳି । ଏକ ଯୁବକ ହୁତୁ ହୁତୁ ହୋଇ ଜଳନ୍ତା ନିଆଁରେ ପୋଡି ହୋଇଯାଉଥିଲେ । ଗ୍ରାମବାସୀ ବଞ୍ଚାଇବାକୁ ଚେଷ୍ଟା କରିଥିଲେ, ହେଲେ ନପାରିବାରୁ ପୋଲିସ ଓ ଦମକଳ ବାହିନୀକୁ ଖବର ଦେଇଥିଲେ । ବହୁକାସ୍ତରେ ନିଆଁରୁ ଉଦ୍ଧାର କରି ଯୁବକଙ୍କୁ ଆମ୍ବୁଲାନ୍ସ ଯୋଗେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଯୁବକ ଯେଉଁଠି ଜଳି ଯାଉଥିଲେ, ସେଠାରେ ରକ୍ତରେ ଲେଖା ହୋଇଥିଲା ‘ମଧୁ’ । ବାସ, ଏହାକୁ ମୃତ୍ୟୁ ରହସ୍ୟର ଚାବିକାଠି ଭାବି ପୋଲିସ ଆଗେଇଗଲା ତଦନ୍ତ ପଥରେ । ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଦ୍ଵାରା ତଦନ୍ତ କରି ପୋଲିସ ଘଟଣାସ୍ଥଳରେ କିଛି ଦୂରରେ ଠାବ କଳା ଏକ ମଦ ବୋତଲ, ୩ଟି ଗ୍ଳାସ ଓ ଗୋଟିଏ ପାଣି ବୋତଲ । ହେଲେ ପାଇନଥିଲା ମୃତ ଯୁବକଙ୍କର ମୋବାଇଲ ।

loading...

ତଦନ୍ତରେ ପୋଲିସ ଜାଣିବାକୁ ପାଇଲା, ଯୁବକ ହେଉଛନ୍ତି ନୟାଗଡ କାଞ୍ଚନପୁର ଗ୍ରାମର ବାସିନ୍ଦା କୃଷ୍ଣଚନ୍ଦ୍ର ଚମ୍ପତ୍ତିରାୟ । ସେ ବିବାହିତ । କାମ କରନ୍ତି ଅହମ୍ମଦାବାଦରେ । ହେଲେ ୪ ବର୍ଷ ତଳେ ସେ ଫେସବୁକରେ ‘ମଧୁ’ନାମ୍ନୀ ଜଣେ ଯୁବତୀଙ୍କ ସଂସ୍ପର୍ଶରେ ଆସି ତାଙ୍କୁ ଭଲ ପାଇବସିଲେ । କିନ୍ତୁ ଯୁବତୀ ଜଣଙ୍କ ୨ ବର୍ଷ ତଳେ ଅନ୍ୟ ଜଣେ ଯୁବକଙ୍କୁ ବିବାହ କରିଗଲେ । କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରିଲେଣି କୃଷ୍ଣଚନ୍ଦ୍ର । ନିକଟରେ ଗାଁକୁ ଫେରି ଯୁବତୀଙ୍କ ସହ ସମ୍ପର୍କ ରଖିବାକୁ ଚାହିଁଲେ କିନ୍ତୁ ଯୁବତୀଜଣଙ୍କ ତାଙ୍କୁ ଏଡେଇଗଲେ । ଆଉ ସହିପାରିଲେଣି ପ୍ରେମିକ ଯୁବକ । ସ୍ତ୍ରୀଙ୍କୁ ଅହମ୍ମଦାବାଦ ଯାଉଛି କହି ଖୋର୍ଦ୍ଧା ଆସିଲେ ପ୍ରେମିକଙ୍କୁ ଦେଖାକରିବାକୁ । ଏହାପରେ କଣ ଘଟିଲା କେଜାଣି ଗତ ଶନିବାର ରାତ୍ରିରେ ତାଙ୍କୁ ଦେଖିବାକୁ ମିଳିଲା ଜଳୁଥିବା ଅବସ୍ଥାରେ । ଆଶ୍ଚର୍ଯ୍ୟର କଥା ତାଙ୍କ ପକେଟରେ ଥିଲା ମାତ୍ର ୩୦ଟଙ୍କା । ମୃତ୍ୟୁସ୍ଥଳରେ କିରୋସିନ କିମ୍ବା ପେଟ୍ରୋଲ ମିଳିନାହିଁ । ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରିବାରେ ପୋଲିସ ଜାଣିବାକୁ ପାଇଛି ଯେ ୨ ଜଣ ଯୁବକ ଘଟଣା ପୂର୍ବରୁ ବାଇକରେ ସେଠାରୁ ଦ୍ରୁତ ଗତିରେ ପଳାଇଥିବା ଦେଖିଛନ୍ତି । ଏହି ପରିପ୍ରେକ୍ଷୀରେ ପୋଲିସ ଠିକ କରିପାରୁନି, ଏହା ସୁଚିନ୍ତିତ ହତ୍ୟା ନା ଆତ୍ମହତ୍ୟା । କାରଣ ଯୁବକ ଆତ୍ମହତ୍ୟା କରିଥିବାର ଯଥେଷ୍ଟ କାରଣ ରହିଛି । ତଥାପି ଜଗତସିଂହପୁର ପୋଲିସ ପ୍ରେମିକା ‘ମଧୁ’କୁ କଟକରୁ ଜଗତସିଂହପୁର ଥାନାକୁ ଧରି ଆଣି ଏକ ଅଜଣା ସ୍ଥାନରେ ରଖି ପଚରା ଉଚୁରା କରୁଛି । ତା ସହିତ ତାର ବାପାଙ୍କୁ ମଧ୍ୟ  ଆଣି କାଲିଠୁ ଥାନାରେ ଅଟକ ରଖିଛି ଓ ପ୍ରେମିକର ଦୁଇ ଭଉଣୀଙ୍କୁ ଆଣି ପଚରା ଉଚୁରା କରି ଛାଡିଦେଇଛି । ପୋଲିସ ଏହାକୁ ଆତ୍ମହତ୍ୟା କହୁଥିବାବେଳେ ମୃତକର ସ୍ତ୍ରୀ ଏହାକୁ ପ୍ରେମିକା  ଦ୍ଵାରା ସଂଘଟିତ ହତ୍ୟା ବୋଲି ଅଭିଯୋଗ କରିଛନ୍ତି । ତେଣୁ ପୋଲିସ ଦଫା ୩୦୨ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏହା ପୂର୍ବରୁ ପୋଲିସ ଏହାକୁ ଏକ ଅପମୃତ୍ୟୁ ମାମଲା ନମ୍ବର ୧୫/୧୯ ରୁଜୁ କରି ତଦନ୍ତ ଚଳାଇଥିଲା ।

Please follow and like us:
error
loading...